Unknown

 

 

 

 

 

 

 

 

 

 

ମନ୍ଦୋଦରୀ ଶୋକ ଚଉତିଶା

ପ୍ରହଲ୍ଲାଦ ଶବର

 

କାନ୍ଦି କହେ ମନ୍ଦୋଦରୀ ପତି ଶବ ଧରି

କେଣେ ଛାଡ଼ିଗଲ ମୋତେ ବୀରଙ୍କ କେଶରୀ

ଜୀବଧନ ହେ

କେଉଁପରି ହାରିଲ ପରାଣ ହେ ।୧।

 

କ୍ଷତ୍ରିବର ପଣେ ନାଥ ଚଉଦ ପୁରରେ

କାହିଁ ଶୁଣି ନ ଥିଲି ମୁଁ ତୁମ୍ଭ ସମାନରେ

କେଣେ ଗଲ ହେ

ଖଟ ପଲଙ୍କ କି ତୁଚ୍ଛ କଲ ହେ ।୨।

 

ଗୁରୁଜନଙ୍କ ବଚନ କର୍ଣ୍ଣେ ନ ଶୁଣିଲ

ଗରବ କରିଣ ଏବେ ଧରାରେ ଶୋଇଲ

ଗଳାହାର ହେ

ଗଲ ଛାଡ଼ି ଶମନ ନଗର ହେ ।୩।

 

ଘଡ଼ଘଡ଼ି ମେଘପରି ତୁମ୍ଭ ଗରଜନ

ଘଡ଼ିକେ ଲୁଚିଲ କାହିଁ କହ ଜୀବଧନ

ପ୍ରାଣଧନ ହେ

ଘାଆ ମୟ ଦିଶଇ ବଦନ ହେ ।୪।

 

 

ଅନେକ ଥର ତୁମ୍ଭଙ୍କୁ ମନା କରିଥିଲି

ଅରଣ୍ୟ ବନକୁ ତୁମ୍ଭେ ଯିବ ନାହିଁ ବୋଲି

ନ ମାନିଲ ହେ

ଅକାରଣେ ଜୀବନ ତେଜିଲ ହେ ।୫।

 

ଚରାଚରେ କ୍ଷତ୍ରି ନାହିଁ ତୁମ୍ଭ ସମାନକୁ

ଚୋରାଇ ଆଣିଲ କିମ୍ପା ପରର ବାମାକୁ

ଚକ୍ରପାଣି ହେ

ରାମ ରୂପେ ଜନ୍ମିଛି ମେଦିନୀ ହେ ।୬।

 

ଛାଡ଼ି ଗଲ ପ୍ରାଣନାଥ ଏ ଦୀନା ଦାସୀକୁ

ଛାଡ଼ି ନ ଦେଲ କେବେ ହେଁ ଗଳାର ଫାଶୀକୁ

ଛନ୍ଦ ମନ ଯେ

କରି ଗଲେ ଭାଇ ବିଭୀଷଣ ଯେ ।୭।

 

ଜଗତୀ ଅଟ୍ଟାଳୀ କିବା ନ ଲାଗିଲା ସୁଖ

ଗଜ ଦନ୍ତ ପଲଙ୍କକୁ ମଣିଲ ଅହିତ

ମହାରାଜା ହେ

ଆନନ୍ଦେ କରିଲ ଭୂମି ଶଯ୍ୟା ହେ ।୮।

 

 

ଝରୁ ଅଛି ତୁମ୍ଭ ଅଙ୍ଗୁ ରକତର ଧାର

ଝରି ପଡ଼େ ଯେଉଁ ପରି ଗଗନରୁ ନୀର

ଧନମଣି ହେ

ଝୁରୁଛନ୍ତି ତବ ଲକ୍ଷେ ରାଣୀ ହେ ।୯।

 

ନିଶ୍ଚିନ୍ତେ ଶୋଇଲ କିମ୍ପା ଉଠ ପ୍ରାଣେଶ୍ୱର

ନିଷ୍କପଟେ ସଙ୍ଗେ ନିଅ ଦାସୀକୁ ତୁମ୍ଭର

କଳ୍ପତରୁ ହେ

ନ ବଞ୍ଚିବି ତବ ବିଚ୍ଛେଦରୁ ହେ ।୧୦।

 

ଟେକୁ ଅଛି ତୁମ୍ଭ ବାହୁ ଉଠ ଉଠ ଥରେ

ଟାଣୁ ଅଛି ସୁଅ ମୋତେ ଗଭୀର ସାଗରେ

ଟେକି ଚାହାଁ ହେ

ଦାରୁଣ ଦଇବ କଲା ଏହା ହେ ।୧୧।

 

ଠଣା ବାହୁନିବାକୁ ମୋ ବୁଦ୍ଧି ଦିଶୁ ନାହିଁ

ଠଣ ସୁନ୍ଦର ମୁଖକୁ ଲୁଚାଇଲ କାହିଁ

ଏ ଦାସୀକୁ ହେ

ଠକି ଗଲ ଶମନ ପୁରକୁ ହେ ।୧୨।

 

 

ଡାକୁଛନ୍ତି ସୈନ୍ୟମାନେ ରଖ ରଖ ବୋଲି

ବିଳମ୍ବ ନ କରି ଉଠ ଦୁଃଖୀର ସଙ୍ଖାଳୀ

ପ୍ରାଣନାଥ ହେ

ଡାଙ୍କେଣୀ ମେଳରେ ପଡ଼ିଲ ତ ହେ ।୧୩।

 

ଢାଳେ ମୁଁ ଅନାଥ ହେଲି ପରାଣ ଈଶ୍ୱର

ଢାଉ ଢାଉ ଶୁଭୁ ଅଛି ଏ ଲଙ୍କା ନଗର

ଢାଳେ ଅନା ହେ

ଶୁଭୁ ଅଛି ରୋଦନ ବାଜଣା ହେ ।୧୪।

 

ଉଠ ଉଠ ପ୍ରାଣନାଥ ଧୂଳିରେ ନ ଶୁଅ

ସାରଥି ରଥ ମଣ୍ଡିଲା ଯୁଦ୍ଧ କରିଯାଅ

ନୃପବର ହେ

ଅଇଲେଣି ସଇନ ତୁମ୍ଭର ହେ ।୧୫।

 

ତିନି ପୁରକୁ ହେ ନାଥ ସାଧ୍ୟ କରିଥିଲ

ତରୁଣୀ ବିଘାତେ ଏବେ ଧରାରେ ଶୋଇଲ

ଲଙ୍କପାଳ ହେ

ତିଆରିଲା କଥା ନ ରଖିଲ ହେ ।୧୬।

 

 

ଥର ତର ତିଆରିଲି ନ ମାନିଲ ମନା

ବିକଳେ ବୋଇଲି ଆଜ ଯୁଦ୍ଧକୁ ଯାଅନା

ଥଟ୍ଟା ଭାବ ହେ

ମଣିଥିବ ସିନା ଜୀବ ଧବ ହେ ।୧୭।

 

ଦୁଇ ଥର ଇନ୍ଦ୍ରଜିତ ସମରେ ଜିଣିଲା

ତହୁଁ ଉଦ୍ଧାର ପାଇଲେ ଦଶରଥ ବଳା

ଦଣ୍ଡଧାରୀ ହେ

ସେଦିନ ଜାଣିଲି ବିଷ୍ଣୁ ବୋଲ ହେ ।୧୮।

 

ଧରଣୀକି ମୋ ଛାତିରୁ କୋମଳ ଲାଗିଲା

ତେଣୁ ସିନା ଶୋଇବାରେ ଶରଧା ବଳିଲା

ଧାତା ବଳେ ହେ

ଆଶ୍ରୟ କରିବ ଧରା ତଳେ ହେ ।୧୯।

 

ନାହିଁ ଧନୁର୍ଦ୍ଧର ତୁମ୍ଭ ସମାନରେ କେହି

ନାରୀ ପାଇଁ ମରିବାକୁ ଲେଖିଥିଲା ବିହି

ନରସାଇଁ ହେ

ନାହିଁ ଆଉ ଲଙ୍କାପୁରେ କେହି ହେ ।୨୦।

 

 

ପଲଙ୍କରେ ନିଦ ନ ମାଡ଼ଇ ହେ ତୁମ୍ଭଙ୍କୁ

ପହୁଡ଼ିଲ କାହୁଁ ପାଇ ବଲ୍ଲଭୀ ମେଳକୁ

କିସ ଅର୍ଥେ ହେ

ପର କରି ଛାଡ଼ିଗଲ ମୋତେ ହେ ।୨୧।

 

ଫାଟି ଯାଉଅଛି ବୁକୁ ଫେରି ଦେଖ ଭଲା

ଫଟା କପାଳରେ ଧାତା ଏହା ଲେଖିଥିଲା

ଫଳ ନାହିଁ ହେ

ଫାନ୍ଦ କଲେ ସିନା ତୁମ୍ଭ ଭାଇ ହେ ।୨୨।

 

ବଡ଼ ଅଭାଗିନୀ ମୁହିଁ ଜନ୍ମରୁ କେବଳ

ମୁହିଁ ବଞ୍ଚିଥାନ୍ତେ ତୁମ୍ଭେ ଧରାରେ ଶୋଇଲ

ବଡ଼ ସୁସ୍ଥ ହେ

ପୁରୁଷହୁଁ ନାରୀ ହେଲେ ହତ ହେ ।୨୩।

 

ଭାବେ ଆଲିଙ୍ଗନ କରୁଥିଲ ସବୁବେଳେ

ଭାଙ୍ଗି ଦେଲା ମନ୍ଦ ଧାତା ମୋର ପାପ ଫଳେ

ଗଳା ମାଳ ହେ

ଭାବନା ପୁରାଣ ଲେଖି ଗଲ ହେ ।୨୪।

 

 

ମଥାର ମୁକୁଟ ତୁମ୍ଭ ଧୂଳିରେ ପଡ଼ିଛି

ମର୍ତ୍ତ୍ୟପୁରେ ଚନ୍ଦ୍ର କିବା ବିଶ୍ରାମ କରିଛି ।

ସୁଧାଭାଣ୍ଡ ହେ

ମୋ କରମ ଅଟେ ବଡ଼ ମନ୍ଦ ହେ ।୨୫।

 

ଯେତେ ଥିଲେ ଲଙ୍କା ବାସୀ ସର୍ବେ ହେଲେ ହତ

ଜହର ମୋ ପାଇଁ ସୃଷ୍ଟି ହୋଇ କି ନାହିଁ ତ

ଜଣ ଜାଣି ହେ

ବୀର କେିହ ନାହାନ୍ତି ଉବୁରି ହେ ।୨୬।

 

ରାମଚନ୍ଦ୍ର ସ୍ୱୟଂ ବିଷ୍ଣୁ ନିଶ୍ଚୟ ଅଟନ୍ତି

ରାକ୍ଷସ ମାରିବା ପାଇଁ ଜନ୍ମ ହୋଇଛନ୍ତି

ମାରି ପରା ହେ

ଉଶ୍ୱାସ କରିବେ ମହୀ ଭାରା ହେ ।୨୭।

 

ଲବେ ନ ଶୁଣିଲ ମୋର ତିଆରିଲା ବୋଲ

ବାରଣ ପଲଙ୍କ ଛାଡ଼ି ଭୂମିରେ ଶୋଇଲ

ଆନନ୍ଦରେ ହେ

ଲୋହିତ ବରନ ପଲଙ୍କରେ ହେ ।୨୮।

 

 

ବତ୍ରିଶ ଲକ୍ଷ ମୋହର ପୁତ୍ର ନାତି ମାନେ

ବିଧାତା ବାମକୁ ଗଲେ ଯେ ଯାହାର ସ୍ଥାନେ

ପ୍ରାଣନାଥ ହେ

ବିଧବା ଯନ୍ତ୍ରଣା ଭୋଗିଲିତ ହେ ।୨୯।

 

ଶଶୀ ବର୍ଣ୍ଣ ମୁଖ ତବ କାଳି ପଡ଼ିଯିବ

ଶ୍ୟାମଳ ଶରୀରେ ତବ ଅନଳ ଲାଗିବ

ଶିରୀ ହାନି ହେ

ଶୂନ୍ୟ ହେଲା ଆଜୁ ଲଙ୍କା ଭୂମି ହେ ।୩୦।

 

ଷଣ୍ଢେ ବାଦ ଭିଆଇଣ ଧରାରେ ଶୋଇଲ

ଅଧୀନ ଦାସୀକୁ ସ୍ରୋତ ପରେ ବସାଇଲ

ଦୁଃଖୀଧନ ହେ

ସୁମରି ସୁମରି ଯିବ ପ୍ରାଣ ହେ ।୩୧।

 

ସାନ୍ତ୍ୱନା ବାକ୍ୟେ ବୋଧିଲେ ପ୍ରଭୁ ରଘୁମଣି

ଶୋକ ତେଜ୍ୟା କଲା ଶୁଣି ମନ୍ଦୋଦରୀ ରାଣୀ

ଶୋକ ଗଲା ହେ

କାନ୍ତ ପାଶେ ମଉନେ ବସିଲା ହେ ।୩୨।

 

 

ହରଷ ବିଷାଦେ ରାମ ଲକ୍ଷ୍ମଣଙ୍କୁ ଘେନି

ଉପସ୍ଥିତ ହେଲେ ଯହୁଁ ଅଛି ରକ୍ଷ ମଣି

ବୁଝାଇଲେ ହେ

ହରଷରେ ସ୍ୱର୍ଗେ ବସ ଭଲେ ଯେ ।୩୩।

 

କ୍ଷରୁ ଅଛି ରାମ ପାଦୁ ଅମୃତ ସଲୀଳ

ମୂର୍ଖ ପ୍ରହଲ୍ଲାଦ ତାହା କରୁଛି କବଳ

ଭାବଗ୍ରାହୀ ହେ

କ୍ଷମା ବର ଦିଅ ଦୟା ବହି ଗୋ ।୩୪।

 

ଭାବାର୍ଥ - (୧-୫) ରାବଣର ମୃତ୍ୟୁପରେ ତା’ ସ୍ତ୍ରୀ ମନ୍ଦୋଦରୀ ସ୍ୱାମୀର ଶବଧରି କାନ୍ଦି କାନ୍ଦି ବାହୁନିଛି । ହେ ବୀର ଶ୍ରେଷ୍ଠ, ହେ ଜୀବଧନ, ମେତେ କାହିଁକି ଛାଡିଗଲ । କେଉଁପରି ପ୍ରାଣ ହାରିଲ ? କ୍ଷତ୍ରିୟ ଶ୍ରେଷ୍ଠ ଭାବେ ଚଉଦ ଭୁବନରେ ତୁମ ସମାନ ବୀର କେହିଥିବା ମୁଁ ଶୁଣି ନ ଥିଲି-। ଖଟ, ପଲଙ୍କ ତୁଚ୍ଛ କରି କାହିଁକି ଚାଲିଗଲ ? ହେ ସ୍ଵାମି, ଗୁରୁଜନଙ୍କ ବଚନକୁ କାନରେ ଶୁଣିଲ ନାହିଁ ? ଗର୍ବ ଅହଙ୍କାରରେ ମଜ୍ଜିଲ ଏବେ ମୃତ୍ୟୁମୁଖରେ ପଡ଼ିଲ । ହେ ଗଳାହାର, ଆମକୁ ଛାଡ଼ି ଯମପୁରକୁ ଚାଲିଗଲ ।

 

ହେ ଜୀବଧନ, ମେଘ ଘଡ଼ଘଡ଼ି ପରି ତୁମର ଗର୍ଜ୍ଜନ; କିନ୍ତୁ ତାହା କୁଆଡ଼େ ଗଲା ? ହେ ପ୍ରାଣଧନ, ଘଡ଼ିକ ମଧ୍ୟରେ କୁଆଡ଼େ ଲୁଚିଗଲ ? ତୁମର ମୁହଁ ସାରା ଆଘାତ ଲାଗି ଘାଆମୟ ହୋଇଯାଇଛି । ହେ ସ୍ଵାମି, ଅନେକ ଥର ତୁମକୁ ବନ ମଧ୍ୟକୁ ନ ଯିବା ପାଇଁ କହିଛି, ମୋ କଥା ମାନିଲ ନାହିଁ । ଅକାରଣରେ ଜୀବନ ହାରିଲ ।

 

ଭାବାର୍ଥ - (୬-୧୧) ହେ ଜୀବଧନ, ଏ ଜଗତରେ ତୁମ ପରି ବୀର କ୍ଷତ୍ରିୟ କେହି ନାହାନ୍ତି । ପରର ସ୍ତ୍ରୀ ଚୋରାଇ କାହିଁକି ଆଣିଲ । ପ୍ରଭୁ ଚକ୍ରପାଣି ରାମ ରୂପରେ ଧରାପୃଷ୍ଠରେ ଜନ୍ମ ନେଇଛନ୍ତି । ହେ ପ୍ରାଣନାଥ, ଏ ଦାସୀକୁ ଛାଡ଼ି ଚାଲିଗଲ । ତା’ ପୂର୍ବରୁ ମୋ ଗଳାରେ ଫାଶୀ କାହିଁକି ଲଗାଇ ଦେଲ ନାହିଁ ? ଛନ୍ଦକପଟ ମନ ନେଇ ଭାଇ ବିଭୀଷଣ ତୁମକୁ ଛାଡ଼ି ଚାଲିଗଲେ । ହେ ମହାରାଜା, ତୁମକୁ ଏ ଜଗତୀ, ଅଟ୍ଟାଳିକା କ’ଣ ଭଲ ଲାଗିଲା ନାହିଁ ? ଗଜଦନ୍ତ ପଲଙ୍କ ବିଷ ଲାଗିଲା କି ଯେ ଭୂମି ତଳରେ ଶୋଇଛ ?

 

ହେ ଧନମଣି, ତୁମ ଅଙ୍ଗରୁ ରକ୍ତରଧାର ବହୁଛି ମେଘରୁ ଜଳ ଝରିଲା ପରି ରକ୍ତ ସବୁ ଝରି ପଡୁଛି । ତୁମ ମୃତ୍ୟୁରେ ଲକ୍ଷେ ରାଣୀ ଝୁରୁଛନ୍ତି । ହେ ପ୍ରାଣେଶ୍ଵର ନିଶ୍ଚିନ୍ତରେ ଶୋଇ ପଡ଼ିଛ କାହିଁକି, ଉଠ । ନିଷ୍କପଟ ହୃଦୟରେ ମୋତେ ସଙ୍ଗରେ ନେଇଯାଅ । ହେ କଳ୍ପତରୁ, ତୁମ ବିଚ୍ଛେଦରେ ମୁଁ ବଞ୍ଚିପାରିବି ନାହିଁ । ହେ ପ୍ରାଣପ୍ରିୟ, । ତୁମ ବାହୁକୁ ଟେକୁଅଛି, ଥରେ ଉଠ । ଗଭୀର ସାଗରର ସ୍ରୋତ ମୋତେ ଟାଣି ନେଉଛି । ମଥାଟେକି ଚାହଁ । ଦାରୁଣ ବିଧାତା ଏହା କଲା ।

 

ଭାବାର୍ଥ- (୧୨-୧୭) ହେ ସ୍ୱାମୀ, ମୁଁ ଏବେ କ’ଣ କରିବି ବୁଦ୍ଧି ଦିଶୁନାହିଁ । ତୁମର ସୁନ୍ଦର ମୁଖକୁ କେଉଁଠି ଲୁଚାଇଲ ? ଏ ଦାସୀକୁ ଠକି ଦେଇ ତୁମେ ଯମପୁରକୁ ଚାଲିଗଲ । ସୈନ୍ୟମାନେ ଏବେ ବି ତୁମକୁ ରଖ ରଖ ବୋଲି ଡାକୁଛନ୍ତି । ହେ ଦୁଃଖୀର ସଙ୍ଖାଳୀ, ବିଳମ୍ବ ନ କରି ଉଠ । ହେ ପ୍ରାଣନାଥ, ଢାଙ୍କେଣୀ ମେଳରେ ପଡ଼ିଗଲ । ହେ ପ୍ରାଣେଶ୍ଵର, ତୁମ ବିନା ମୁଁ ଅନାଥ ହୋଇଗଲି । ଟିକେ ଉଠି ଚାହଁ, ଲଙ୍କାପୁରରେ ଅସୁରମାନଙ୍କର କାନ୍ଦଣା ଢ଼ାଉ ଢ଼ାଉ ହୋଇ ଶୁଭୁଛି ।

 

ହେ ପ୍ରାଣନାଥ, ଉଠ ଧୂଳିରେ ଆଉ ଶୋଇ ରହ ନାହିଁ । ସାରଥି ରଥ ସଜାଇଲାଣି, ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅ । ହେ ନୃପବର, ଯୁଦ୍ଧ କ୍ଷେତ୍ରକୁ ତୁମର ସୈନ୍ୟମାନେ ଆସିଲେଣି । ହେ ନାଥ, ତିନିପୁରକୁ ତୁମେ ସାଧ୍ୟ ବା ଆୟତ୍ତ କରିଥିଲ । ନାରୀ ଅପହରଣ କରି ଏବେ ମୃତ୍ୟୁମୁଖରେ ପଡ଼ିଲ । ହେ ଲଙ୍କପାଳ, ପରନାରୀ ହରଣ ପାପ ବୋଲି କେତେ କିଏ ଉପଦେଶ ଦେଲେ । କାହାରି କଥା ଶୁଣିଲ ନାହିଁ । ବାରମ୍ବାର ମୁଁ ତୁମକୁ ଆଜି ମନା କଲି, ଯୁଦ୍ଧକୁ ନ ଯିବା ପାଇଁ । ମୋ କଥା ମାନିଲ ନାହିଁ, ମୋ କଥାକୁ ଥଟ୍ଟାଭାବି ଉଡ଼ାଇ ଦେଲ ।

 

ଭାବାର୍ଥ- ହେ ଦଣ୍ଡଧାରି, ଇନ୍ଦ୍ରଜିତ ଦୁଇ ଦୁଇ ଥର ଯୁଦ୍ଧରେ ଜୟଲାଭ କଲା । ସେଥିରୁ ଦୁଇଭାଇ ରାମଲକ୍ଷ୍ମଣ ଉଦ୍ଧାର ପାଇଗଲେ । ସେଇଥିରୁ ମୁଁ ଜାଣିଥିଲି ଯେ, ରାମ ହେଉଛନ୍ତି ସ୍ୱୟଂ ବିଷ୍ଣୁ । ହେ ସ୍ୱାମି, ମାଟି ଉପରେ ଶୋଇ ରହିଛ । ମୋ ଛାତିଠାରୁ ତାହା ଅଧିକ କୋମଳ ଲାଗିଲା କି ? ବିଧାତାର ଯୋଗୁଁ ଧରାବକ୍ଷରେ ଏବେ ଆଶ୍ରୟ ନେଇଛ । ହେ ନରସାଇଁ, ତୁମ ସମାନରେ ଧନୁର୍ଦ୍ଧର ଏ ପୃଥିବୀରେ କେହି ନାହାନ୍ତି । ନାରୀ ପାଇଁ ତୁମେ ମରିବାକୁ ବିଧାତା କପାଳରେ ଲେଖିଥିଲା । ତୁମେ ଗଲା ପରେ ଲଙ୍କାପୁରୀ ଜନଶୂନ୍ୟ ହୋଇପଡ଼ିଛି ।

 

ହେ ଲଙ୍କାପତି, ରତ୍ନ ପଲଙ୍କରେ ଶୋଇଲେ ତୁମକୁ ନିଦ ମାଡୁ ନ ଥିଲା । ଏବେ ଭୂମି ଉପରେ ଶୋଇ ରହିଛ । କେଉଁ କାରଣ ଯୋଗୁଁ ମୋତେ ପର କରି ଛାଡ଼ି ଗଲ ? ଅନ୍ୟ କାହାକୁ ସ୍ତ୍ରୀ ରୂପେ ପାଇଲ କି ? ହେ ପ୍ରିୟ, ତୁମ ମୃତ୍ୟୁରେ ମୋ ବୁକୁ ଫାଟି ଯାଉଛି । ମୋ ଫଟା କପାଳରେ ବିଧାତା ଏହା ଲେଖିଥିଲା । ତୁମ କପାଳରେ ଭଲ ଫଳ ନ ଥିଲା । ତୁମ ଭାଇ କୂଟ କପଟ କଲେ । ମୁଁ ଜନ୍ମରୁ ବଡ଼ ଅଭାଗିନୀ । ତୁମେ ମାଟି ଉପରେ ଶୋଇଲେ ମୁଁ କିପରି ବଞ୍ଚିବି ? ତୁମେ ନ ମରି ମୁଁ ମରିଥିଲେ ଭଲ ହୋଇଥାନ୍ତା ।

 

ଭାବାର୍ଥ - (୨୪-୨୯) ହେ ଗଳାମାଳା, ଭାବରେ ମୋତେ ସର୍ବଦା ଆଲିଙ୍ଗନ କରୁଥିଲ-। ମୋ ପାପର ଫଳ ଯୋଗୁଁ ବିଧାତା ତାକୁ ଭାଙ୍ଗି ଦେଲା ଏବେ ଖାଲି ତାହା ଭାବିବାକୁ ପଡ଼ିବ । ହେ ସୁଧାଭାଣ୍ଡ, ତୁମ ମଥାର ମୁକୁଟ ଧୂଳିରେ ପଡ଼ିଛି । ମନେ ହେଉଛି, ଯେମିତି ମର୍ତ୍ତ୍ୟପୁରରେ ଚନ୍ଦ୍ର ବିଶ୍ରାମ ନେଉଛି । ମୋ କରମ ବଡ଼ ମନ୍ଦ । ଲଙ୍କାପୁରରେ ଯେତେ ସବୁ ଥିଲେ ହତ ହୋଇଛନ୍ତି । ମୁଁ ଯାହା ବଞ୍ଚିଛି । ମୋ ପାଇଁ କ’ଣ ବିଷ ନାହିଁ କି ? ଚାରି ଜଣ ବୀର ମଧ୍ୟ ଯୁଦ୍ଧରେ ବର୍ତ୍ତି ନାହାନ୍ତି ।

 

ହେ ବୀରମଣି, ରାମଚନ୍ଦ୍ର ସ୍ୱୟଂ ବିଷ୍ଣୁ ନିଶ୍ଚୟ ଅଟନ୍ତି । ରାକ୍ଷସଙ୍କୁ ବିନାଶ ପାଇଁ ମର୍ତ୍ତ୍ୟରେ ଜନ୍ମ ନେଇଛନ୍ତି । ଦୁଷ୍ଟ ଅସୁରଙ୍କୁ ମାରି ଧରା ଭାର ଉଶ୍ୱାସ କରିବେ । ମୁଁ ଯେତେ ବୁଝାଇଲି, ସେ କଥା ଶୁଣିଲ ନାହିଁ । ହସ୍ତୀଦନ୍ତ( ବାରଣ) ପଲଙ୍କ ଛାଡ଼ି ଆନନ୍ଦରେ ରକ୍ତବର୍ଣ୍ଣ ପଲଙ୍କରେ ମାଟି ଉପରେ ଶୋଇଲ । ମୋର ବିତିଶି ଲକ୍ଷ ପୁତ୍ର ନାତି ବିଧାତାର କୋପ ଦୃଷ୍ଟି ଯୋଗୁଁ ନାଶ ଗଲେ । ହେ ପ୍ରାଣନାଥ, ଆମେ ସବୁ ବୈଧବ୍ୟ ଯନ୍ତ୍ରଣା ଭୋଗିଲୁ ।

 

ଭାବାର୍ଥ - (୩୦-୩୪) ହେ ପ୍ରାଣଜୀବ, ତୁମର ଶଶୀବର୍ଣ୍ଣ ମୁଖ ମଣ୍ଡଳ କଳାପଡ଼ିଯିବ । ଶ୍ୟାମଳ ଦେହରେ ଅଗ୍ନି ଲାଗିବ । ଆଜିଠୁଁ ଲଙ୍କା ଶ୍ରୀହୀନ ହେଲା । ଲଙ୍କାଭୂମି ଶୂନ୍ୟ ହେଲା । ହେ ଦୁଃଖୀଧନ, ରାମଙ୍କଠାରେ ବାଦ କରି ପରମଗତି ଲାଭ କଲ । ଅଧୀନ ଦାସୀକୁ ସମୁଦ୍ର ସ୍ରୋତରେ ଭସାଇ ଦେଲ । ତୁମକୁ ସୁମରଣା କରି କରି ପ୍ରାଣ ଚାଲିଯିବ ।

 

ମନ୍ଦୋଦରୀ ଶୋକ କରୁଥିବା ଦେଖି ପ୍ରଭୁ ରାମଚନ୍ଦ୍ର ତାଙ୍କୁ ସାନ୍ତ୍ୱନା ଦେଲେ । ପ୍ରଭୁଙ୍କ ଠାରୁ ସାନ୍ତ୍ୱନା ପାଇ ମନ୍ଦୋଦରୀ ଶୋକ ପରିତ୍ୟାଗ କରି ସ୍ୱାମୀଙ୍କ ପାଖରେ ମଉନ ହୋଇ ବସି ରହିଲେ । ସୁଖ ଦୁଃଖ ମଧ୍ୟରେ ରାମଚନ୍ଦ୍ର, ଲକ୍ଷ୍ମଣଙ୍କୁ ସଙ୍ଗରେ ନେଇ ରାବଣ ଯେଉଁଠାରେ ପଡ଼ିରହିଥିଲା, ସେଠାରେ ପହଞ୍ଚିଲେ । ସମସ୍ତଙ୍କୁ ବୁଝାଇ କହିଲେ- ଆନନ୍ଦମନରେ ସ୍ଵର୍ଗରେ ଯାଇ ବସ । ପ୍ରଭୁ ରାମଚନ୍ଦ୍ରଙ୍କ ପଦରୁ ଅମୃତ ସଲିଳ ବହୁଛି । ମୂର୍ଖ ପ୍ରହଲ୍ଲାଦ ତାକୁ ପାନ କରୁଛି । କବି କହୁଛନ୍ତି - ହେ ଭାବଗ୍ରାହୀ, ମୋତେ ଦୟାକର, କ୍ଷମା ବର ଦିଅ ।